Unknown

 

 

 

 

 

 

 

 

 

 

 

ସାଗରଯାତ୍ରୀ

ଚିତ୍ତରଞ୍ଜନ ଦାସ

 

ପରିଚୟ

 

ଡ଼ ଚିତରଞ୍ଜନ ଦାସଙ୍କ ସୁପ୍ରସିଦ୍ଧ ଭ୍ରମଣ କଥାହେଉଛି ‘‘ସାଗରଯାତ୍ରୀ’’ ଲେଖକ୧୯୫୦ ମସିହା ନଭେମ୍ବର ମାସ ଶେଷ ଆଡ଼କୁ ବମ୍ବେ (ବର୍ତ୍ତମାନର ମୁମ୍ବାଇ) ଠାରୁ ଆରବ ସାଗରରୁ ଜଳଯାତ୍ରା ଆରମ୍ଭ କରିଥିଲେ ଲିଭରପୁଲ୍‍ ରେ ପହଞ୍ଚିବା ପାଇଁ । ପ୍ରଥମ କରି ଜାହାଜରେ ଜଳଯାତ୍ରା କରିବା ବେଳର ଅନୁଭୂତିକୁ ଖୁବ୍‍ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ‘‘ସାଗରଯାତ୍ରୀ’’ରେ । ତାଙ୍କ ଜାହାଜର ନାମ ଥିଲା ‘ଜଳ ଆଜାଦ’ । ସେହି ଜନହୀନ ଜଳଶଯ୍ୟା ଉପରେ ରହି ମଣିଶ ସମାଜ,ସମ୍ପର୍କ ଓ ସାମାଜିକ ଅବସ୍ଥାକୁ ଲେଖକ ନୂଆ ଦୃଷ୍ଟିକୋଣରୁ ଦେଖିବାକୁ ଚେଷ୍ଟା କରିଛନ୍ତି ।

 

ପୃଷ୍ଠଭୂମି

 

ଏହି ଜଳଯାତ୍ରା ସମୟରେ ଭାରତ ସ୍ୱାଧୀନତାର ମାତ୍ର କିଛି ବର୍ଷ ଅତିକ୍ରମ କରିଥାଏ । ସେହି ସମୟରେ ବିଦେଶକୁ ଶିକ୍ଷାପାଇଁ ଯିବା ଏକ ବଡ଼ କଥା ଥିଲା । ଲେଖକ ଯେଉଁ ଜାହାଜରେ ଯାତ୍ରା କରୁଥିଲେ, ତାହା ସିନ୍ଧିଆ କମ୍ପାନୀର ଏକ ଜାତୀୟ ଜାହାଜ ଥିଲା । ଏହି ଜାହାଜଟିକୁ ଏକ ‘‘ଭାସମାନ ସହର’’ଭାବରେ ବର୍ଣ୍ଣନା କରାଯାଇପାରେ ।

 

ଜାହାଜ ଭିତରେ ଥିବା ସାମାଜିକ ବିନ୍ୟାସ ସେହି ସମୟର ସମାଜକୁ ପ୍ରତିଫଳିତ କରୁଥିଲା । ଯାତ୍ରୀମାନେ ତିନୋଟି ଶ୍ରେଣୀରେ ବିଭକ୍ତ ଥିଲେ: ପ୍ରଥମ, ଦ୍ୱିତୀୟ ଏବଂ ଇକୋନୋମିକ୍‍ ଶ୍ରେଣୀ । ଲେଖକ ନିଜେ ପ୍ରଥମ ଶ୍ରେଣୀର ଯାତ୍ରୀ ଥିଲେ, କିନ୍ତୁ ସେ ଶ୍ରେଣୀ ବିଭାଜନର ଏହି କୃତ୍ରିମତାକୁ ସହଜରେ ଗ୍ରହଣ କରିପାରୁ ନଥିଲେ । ଜାହାଜ ଭିତରେ ଖାଇବା ଟେବୁଲ୍‌ରେ କଣ୍ଟା-ଚାମଚର ବ୍ୟବହାର, ସୁଟ୍‍-ଟାଇ ପିନ୍ଧିବାର ରୀତିନୀତି ଏବଂ ପାଶ୍ଚାତ୍ୟ ଶୈଳୀରେ ଜୀବନ ବିତାଇବାକୁ ସମସ୍ତେ ବ୍ୟଗ୍ର ଥିଲେ । ଇଂଲଣ୍ଡରେ ପହଞ୍ଚିବା ପୂର୍ବରୁ ଲୋକମାନେ ଜାହାଜ ଭିତରେ ହିଁ ନିଜକୁ ‘ସାହେବ’ କରିବାକୁ ଚେଷ୍ଟା କରୁଥିଲେ ।

 

ଜଳ ଯାତ୍ରା ଆରବ ସାଗରରୁ ଆରମ୍ଭ ହୋଇ ଲୋହିତ ସାଗର, ସୁଏଜ୍‍ କେନାଲ୍‍, ଭୂମଧ୍ୟ ସାଗର ଏବଂ ଆଟଲାଣ୍ଟିକ୍‍ ମହାସାଗର ଦେଇ ଲିଭରପୁଲ୍‍ ପର୍ଯ୍ୟନ୍ତ ବ୍ୟାପିଥିଲା । ସୁଏଜ୍‍ କେନାଲ୍‍ ପରି ମାନବ-ନିର୍ମିତ ଆଶ୍ଚର୍ଯ୍ୟଜନକ ସ୍ଥାନଦେଇ ଗତି କଲାବେଳେ ଲେଖକ ମଣିଷର ସାହସ ଓ ଯାନ୍ତ୍ରିକ ଶକ୍ତି ବିଷୟରେ ଚିନ୍ତା କରିଛନ୍ତି । ସେହିପରି ଆଫ୍ରିକା ଓ ଏସିଆ ମହାଦେଶର ଉପକୂଳ ଦେଇ ଗଲାବେଳେ ସେଠାକାର ମରୁଭୂମି, ପାହାଡ଼ ଏବଂ ବେଦୁଇନ୍‍ମାନଙ୍କ ଜୀବନଶୈଳୀ ପାଠକ ଆଖି ଆଗରେ ଏକ ଜୀବନ୍ତ ଚିତ୍ର ଆଙ୍କିଦିଏ ।

 

ପ୍ରମୁଖ ଚରିତ୍ର

 

‘ସାଗରଯାତ୍ରୀ’ ପୁସ୍ତକରେ ପାରମ୍ପରିକ ଗଳ୍ପର ଚରିତ୍ର ପରି କେହି ନାହାନ୍ତି, ବରଂ ଜୀବନ୍ତ ମଣିଷମାନେ ହିଁ ଏହାର ମୁଖ୍ୟ ଚରିତ୍ର ।

 

ଲେଖକ (ଚିତ୍ତରଞ୍ଜନ ଦାସ): ସେ ଜଣେ ଗଭୀର ଚିନ୍ତକ । ପ୍ରଥମ ଶ୍ରେଣୀର ବିଳାସ ମଧ୍ୟରେ ରହି ମଧ୍ୟ ତାଙ୍କ ମନ ଭାରତର ଗରିବ ଲୋକଙ୍କ ପାଇଁ ବ୍ୟଥିତ ହେଉଥିଲା । ସେ ପ୍ରକୃତିକୁ ଭକ୍ତି କରନ୍ତି ଏବଂ ପ୍ରତ୍ୟେକଟି ଢେଉ ଭିତରେ ଜୀବନର ସତ୍ୟକୁ ଖୋଜନ୍ତି ।

 

ସହଯାତ୍ରୀମାନେ: ଜାହାଜରେ ବିଭିନ୍ନ ପ୍ରକାରର ଲୋକ ଥିଲେ । କିଏ କେବଳ ପଇସାର ବାଜି ଲଗାଇ ଜୁଆ ଖେଳିବା ଏବଂ ମଦ୍ୟପାନ କରିବାକୁ ଜୀବନର ଲକ୍ଷ୍ୟ ବୋଲି ଭାବୁଥିଲେ, ତ’ କିଏ କେବଳ ପାଶ୍ଚାତ୍ୟ ପୋଷାକର ପ୍ରଦର୍ଶନ କରୁଥିଲେ । ଏମାନଙ୍କ ମାଧ୍ୟମରେ ଲେଖକ ମାନବୀୟ ଚରିତ୍ରର ଦୁର୍ବଳତା ଓ ଛଳନାକୁ ଦେଖାଇଛନ୍ତି ।

 

ଜାହାଜର ସେବକମାନେ: ଧଳା ପୋଷାକ ପିନ୍ଧି ଯାତ୍ରୀମାନଙ୍କର ସେବା କରୁଥିବା ଏହି ଲୋକମାନଙ୍କ ମଧ୍ୟରେ ଲେଖକ ମାନବିକତାର ଦର୍ଶନ ପାଇଛନ୍ତି ।

 

ଆଧ୍ୟାତ୍ମିକ ଓ ରାଜନୈତିକ ନେତୃବୃନ୍ଦ: ଯଦିଓ ସେମାନେ ଜାହାଜରେ ନଥିଲେ, କିନ୍ତୁ ଶ୍ରୀ ଅରବିନ୍ଦ ଏବଂ ସର୍ଦ୍ଦାର ପଟେଲଙ୍କ ଦେହାନ୍ତ ଖବର ସମଗ୍ର ଯାତ୍ରାର ମାନସିକତାକୁ ବଦଳାଇ ଦେଇଥିଲା ।

 

ବିଷୟବସ୍ତୁ

 

ଯାତ୍ରାରମ୍ଭ ସମୟରେ ଘର ଓ ପ୍ରିୟ ପରିଚିତଙ୍କଠାରୁ ଦୂରକୁ ଯାଉଥିବା ଯୋଗୁଁ ମନରେ ଯେଉଁ ଭାବାବେଗ ସୃଷ୍ଟି ହେଇଛି, ତା’କୁ ଲେଖକ ସୁନ୍ଦରଭାବେ ବ୍ୟକ୍ତ କରିଛନ୍ତି ।

 

ଲେଖକଙ୍କ ଦୃଷ୍ଟିରେ ଓଡ଼ିଶାର ଗରିବଠାରୁ ବମ୍ବେର ଗରିବ କେଉଁ ଦିଗରୁ କମ୍‍ ତୁଚ୍ଛ, କମ୍‍ ଲାଞ୍ଛିତ ନୁହଁନ୍ତି । ବମ୍ବେ ଧନୀ ପ୍ରଦେଶ । କିନ୍ତୁ ଗରିବମାନଙ୍କ ରକ୍ତ ତେଲ ହୋଇ ସବୁଠାରେ ଧନୀ ସମାଜର ସଭ୍ୟତାଯନ୍ତ୍ର ଚଳାଉଛି । ସେ ଆହୁରି ଆଶା ବ୍ୟକ୍ତ କରିଛନ୍ତି ଯେ, ଭବିଷ୍ୟତର ଓଡ଼ିଶାରେ ବି ଖଣି,କାରଖାନା ବସିବ ଓ ଓଡ଼ିଶା ଧନୀ ପ୍ରଦେଶ ବୋଲାଇବ ।

 

ଜାହାଜ ଭିତରେ ପ୍ରଥମ ଶ୍ରେଣୀର ଯାତ୍ରୀଭାବେ ଯାତ୍ରା କରୁଥିଲେ ଲେଖକ ଏବଂ ହାତପାଆନ୍ତାରେ ସବୁପ୍ରକାର ସୁବିଧା ଉପଲବ୍ଧ କରୁଥିଲେ । ଏଠାରେ ବି ସେ ଲକ୍ଷ୍ୟ କରିଛନ୍ତି ଶ୍ରେଣୀ ବିଭାଗର ପାତରଅନ୍ତର କଥା ଏବଂ ପାଶ୍ଚାତ୍ୟ ସଭୟତାର ଆଚାର ବ୍ୟବହାର,ରୀତିନୀତି ଚଳଣି ଆପଣେଇ ନେବାପାଇଁ ଲୋକଙ୍କ ଭିତରେ ଥିବା ଉତ୍ସୁକତା । ପୁଣି ସମୟ ବିତେଇବାକୁ ଏଠି ବିଳାସର ମାଧ୍ୟମ ଜୁଆଖେଳ ଦେଖି ତାଙ୍କର ସାମ୍ୟବାଦୀ ମନ କହୁଛି, କଟକ ଛତରାବଜାରରେ ପେଟପାଇଁ ଜୁଆଖେଳି ଟୋକା ପୋଲିସ୍‍ ଆଖିରେ ପଡ଼େ, ଦଣ୍ଡିତ ହୁଏ, କିନ୍ତୁ ନିର୍ଲିପ୍ତ ରାତ୍ରୀଯାପନ ଲାଗି ଜୁଆ ଖେଳି ଜାହାଜର ରସିକ ଯାତ୍ରୀ ଆପଣା ବିବେକର ତର୍ଜନୀ ଦେଖିବାକୁ ମଧ୍ୟ ପାଏନାହିଁ ।

 

ଲେଖକଙ୍କ ମତରେ-ଆମେ ସମସ୍ତେ ଗୋଟିଏ ଗୋଟିଏ ଶିଳ୍ପୀ, ଆମ ତୂଳୀର ପ୍ରତ୍ୟେକ ଲିଖନାଘାତରେ ସମସ୍ତ ସୃଷ୍ଟିର ପ୍ରକାଶଲୀଳା ପ୍ରାଣ ପାଇ ଉଠେ । ଜାହାଜରେ ବସି ରାତିର ଆକାଶକୁଦେଖି ଭାବମଗ୍ନ ହୋଇଛନ୍ତି ସେ । ଅନ୍ଧାର ଭିତରେ ନିରୋଳା ଅନ୍ତରାକାଶର ଉଜ୍ଜ୍ୱଳ ସୂର୍ଯ୍ୟ ଅନ୍ତରାଚ୍ଛନ୍ନ ସତ୍ୟକୁ ଆବରରମୁକ୍ତ କରିଦେଉଛି ଯେମିତି !

 

ଲେଖକଙ୍କ ଚମତ୍କାର ଦର୍ଶନ ଓ ଜୀବନବୋଧର ଝଲକ ଏବଂ କବିତାମୟ ଅଭିବ୍ୟକ୍ତି ପ୍ରଥମ ପରିଚ୍ଛେଦରୁ ପାଠକଙ୍କୁ ଆଚ୍ଛନ୍ନକରି ରଖିବାରେ ସମର୍ଥ ।

 

ସମୁଦ୍ରର ବିଶାଳତା ଓ ରହସ୍ୟମୟତାକୁ ନିରୀକ୍ଷଣ କରୁକରୁ ସମ୍ମୋହିତ ହେଉଛନ୍ତି ଲେଖକ । ସମୁଦ୍ର ଯେପରି ବାରବାର ତରଙ୍ଗର ସମ୍ମାର୍ଜନରେ ଦୃଷ୍ଟିର କାଳିମା ପୋଛି ଦେଉଛି । ସେ ଭାବୁଛନ୍ତି, ମଣିଷ କାହିଁକି ଏହିପରି ଆପଣାର କଳାକୁ ପୋଛିଦେଇ ଅପରର ଆଲୋକକୁ ପ୍ରଥମେ ନ ଚିହ୍ନିବ ? ରାତ୍ରି ଆକାଶର ଦୁଇଟି ତାରାପରି କାହିଁକି ଦୁଇଟି ମଣିଷ ପରସ୍ପରର ଜ୍ୟୋତିରେ ଆପଣା ଆପଣାର ପଥକୁ ଜ୍ୟୋତିର୍ମୟ କରି ନଦେବେ ? ମାନବତାର,ସାମ୍ୟବାଦୀ ଚିନ୍ତାଧାରାର ଓ ମଣିଷପଣିଆର ଉଚ୍ଚତର ଚେତନାରେ ଧନୀ ଲେଖକ ଜଳଯାତ୍ରାକାଳୀନ ଅନୁଭୂତି କହିବାର ଉପକ୍ରମରେ ଏମିତି ନାନାବିଧ ଭାବନାତ୍ମକ ଚିନ୍ତନର ଅନୁଭବକୁ ବ୍ୟକ୍ତ କରିଚନ୍ତି ।

 

ଜାହାଜ ଭିତରେ ସମୟ କାଟିବାପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ଉଭୟ ପୁରୁଷ ଓ ନାରୀଙ୍କପାଇଁ ବିଭିନ୍ନ ପ୍ରକାର ମନୋରଞ୍ଜନ ଓ ଖେଳର ଆୟୋଜନ ହୋଇଥାଏ । ଏହିସବୁ ଖେଳରେ ଅର୍ଥ ବାଜି ଲଗା ହେଉଛି । ଜଣେ ଦୁଇଜଣ ଭାଗ୍ୟବାନ୍‍ ଜିତୁଛନ୍ତି ଓ ଲକ୍ଷ୍ମୀଙ୍କ ପେଚାର ଅନଧିକୃତ ପ୍ରବେଶ ଘଟୁଛି । ବିଳାସର ଏସବୁ ରୂପଭେକ ଦେଖି ଲେଖକ କୁହନ୍ତି’ ପୃଥିବୀରେ ନାନା ପ୍ରକାର ପଙ୍କ ଅଛି, ନାନା ପ୍ରକାର ଦୁର୍ଗନ୍ଧ ଅଛି, ଏହିସବୁ କଥା ଜାଣି ରଖିବାର ଭଲମନ୍ଦ ବିଷୟରେ ମୋର ଆଧୁନିକ ପୋଷାକୀ ମନଟା ବ୍ୟସ୍ତ ହୋଇ ପଡ଼ିଲା । ଯେଉଁଠି କେବଳ ପଇସାର ପ୍ରାଧାନ୍ୟ, ସେଠି କଳାତ୍ମକତା ବି ମୂଲ୍ୟହୀନ ହୋଇ ପଡ଼ିଛି ।

 

ଜଳରାସ୍ତାରେ ଏଡେନ୍‍ ପହଁଚିବା ପୂର୍ବରୁ ଡେକ୍‍ ଉପରୁ ଲେଖକ ସିନ୍ଧିଆ କମ୍ପାନୀର ଆଉ ଏକ ଜଳଜାହାଜ ‘‘ଜଳ ଜବାହର’’କୁ ଫରୁଥିବା ଦେଖିଲେ । ଏଡେନ୍‍ ଉପସାଗର ନିକଟବର୍ତ୍ତୀ ହେଲାବେଳକୁ ପାହାଡ଼ ଦେଖିବାପରେ ମନ ଖୁସି ଲାଗିଲା ବୋଲି ସେ ବ୍ୟକ୍ତ କରିଛନ୍ତି । ତା’ପରେ ସୁଏଜ୍‍ କେନାଲ୍‍ ପର୍ଯନ୍ତ ୧୨୨୦ ମାଇଲ୍‍ ଯାତ୍ରା କରିବାକୁ ହେବ, ଯାହାକି ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ହେବ । ଲୋହିତସାଗର ପାରି ହେବାକୁ ତିନିଦିନ ଲାଗିବ । ଏଡେନ୍‍ ର ଦ୍ୱାରପାଳ ଭଳି ଦଣ୍ଡାୟମାନ ପାହାଡ଼ ଦୁଇଟି ପରଠାରୁ ବୋଧେ ୟେମେନ୍‍ର ମରୁପ୍ରଦେଶ ଆରମ୍ଭ ହୋଇଛି । ନୀଳ ଜଳ ଓ ସ୍ୱଚ୍ଛ କିରଣର ମିଳିତ ପ୍ରତିଫଳନରେ ମରୁ ପ୍ରାନ୍ତରଟି ବେଳେବେଳେ ମର୍ମର ଶଯ୍ୟାର ଭ୍ରାନ୍ତି ଦେଇ ଯାଉଛି ।

 

ଜାହାଜ ଗତିର ଦକ୍ଷିଣ ଦିଗରେ ଦକ୍ଷିଣ ଆଫ୍ରିକା । ଯାତ୍ରାପଥରେ ଅନେକ ଛୋଟବଡ଼ ଜାହାଜ, ପାଲଟଣା ଡଙ୍ଗା ଅତିକ୍ରମ କରି ଯାଉଥାନ୍ତି । ଜୀବନରେ ଅନେକ ପାହାଡ଼ ଦେଖିଥିବା ଲେଖକ ଦୀର୍ଘ ପାଞ୍ଚଦିନ ପାଞ୍ଚରାତିପରେ କେବଳ ଜଳ ବ୍ୟତୀତ ଭିନ୍ନ ଏକ ପାହାଡ଼ ଦେଖି ଖୁସି ହେଉଛନ୍ତି । ଯୋଉଠି ଯାହାର ଅଭାବ ଯେତେ ବେଶୀ, ସେଇଠି ସେ ମନ ଭିତରେ ଆପଣାର ଭାବକୁ ସେତିକି ଘନିଷ୍ଠଭାବରେ ପ୍ରତିଷ୍ଠିତ କରିପାରେ । ଦୁଇ ମହାଦେଶ ଏସିଆ ଓ ଆଫ୍ରିକା ମଝିରେ ମହାସାଗରର ବିସ୍ତୃତ ଜଳରାଶି ଦେଖୁଦେଖୁ ବିଭିନ୍ନ ଦାର୍ଶନିକସୁଲଭଚିନ୍ତାରେ ନିମଗ୍ନ ହୋଇ ଯାଉଥିଲେ ଲେଖକ ।

 

ସ୍ୱାଭାବିକଭାବରେ ସାଧାରଣ ଜୀବନ ଜୀଇଁବାରେ ବିଶ୍ୱାସୀ ଲେଖକଙ୍କ ମନ ନାନା ଅନୁରକ୍ତିର ମଣିଷମାନଙ୍କୁ ଜାହାଜଯାତ୍ରାରେ ଭେଟୁଛନ୍ତି । ଗରମ ଲାଗିବା ସତ୍ତ୍ୱେ ପାଶ୍ଚାତ୍ୟ ଶୈଳୀରେ କୋଟ୍‍ ପ୍ୟାଣ୍ଟ୍‍ ଟାଇ ପିନ୍ଧିବାଭଳି ଅନ୍ଧ ଅନୁକରଣକୁ ସେ ନାପସନ୍ଦ କରୁଛନ୍ତି ।

 

ଜହାଜ ଭିତରର ପ୍ରାଚୁର୍ଯ୍ୟ ଓ ଖାଦ୍ୟପେୟର ବିଳାସ ଭିତରେ ଲେଖକଙ୍କ ଚିତ୍ତରେ ତତ୍କାଳୀନ ଭାରତର ଦୁର୍ଦ୍ଦଶା,ଦୁର୍ଭିକ୍ଷ,ଦାରିଦ୍ର୍ୟ ମନେ ପଡ଼ୁଥିଲା । ତା’ସହିତ ସେ ସମ୍ପର୍ନ୍ନ ଲୋକଙ୍କ ଭିତରେ ଥିବା ଶୀତଳ ସ୍ପଟିକବତ୍‍ ପରିତୋଷକୁ ଲକ୍ଷ୍ୟକରି ଖେଦ ପ୍ରକାଶ କରୁଥିଲେ । ସେ ସମାଜର ଦୀନଦୁଃଖୀଙ୍କ ଦୈନଦିନ ଜୀବନ ସଂଘର୍ଷକୁ ଅଣଦେଖା କରିବାକୁ ନାପସନ୍ଦ କରିଥିଲେ । ସାହିତ୍ୟ ଆପଣାର ପଥ ହୁଡ଼ିଛି ବୋଲି ସେ ଭାବୁଥିଲେ ।

 

ଲେଖକଙ୍କ ମତରେ-ଅନେକ ସମୟରେ ବାହାର ସଜ୍ଜିତ ସୌନ୍ଦର୍ଯ୍ୟକୁ ଅସଲ ସୌନ୍ଦର୍ଯ୍ୟ ମାନିନେଇ ଚତୁର ସାହିତ୍ୟିକ ନିଶ୍ଚିତ ହୋଇ ବସିଯାଏ । ନୂଆ ସାହିତ୍ୟ ଓ ନୂଆ ପୃଥିବୀ ଗଢ଼ିବାକୁ ପଣ କରିଥିବା ସବୁ ଲେଖକଙ୍କୁ ଆଜି ଏଇଆବର୍ଜନା ଗଦାତଳୁ ମରିଯାଇଥିବା ମର୍ମସୌନ୍ଦର୍ଯ୍ୟକୁ ବାହାର କରିବାକୁ ହେବ । ସକଳ ପ୍ରକାର ଛଦ୍ମବେଶକୁ ଅତି ସ୍ପଷ୍ଟଭାବରେ ପଦାରେ ପକେଇବାକୁ ହେବ ।

 

ସାଗରଯାତ୍ରା କାଳରେ ଲେଖକଙ୍କ ମନରେ କେତେ କ’ଣ ଚିନ୍ତା ଚେତନା, ମାନବ ସଭ୍ୟତା ସମ୍ବନ୍ଧରେ ବିଭିନ୍ନ କଥାର ଉଦ୍ରେକ ହେଉଛି ତାହାର ସୁନ୍ଦର ବଖାଣ ରହିଛି ପୁସ୍ତକରେ ।

 

ଷଷ୍ଠଦିନର ଯାତ୍ରା ବେଳକୁ ଜାହାଜ ପହଁଞ୍ଚିଥିଲା ଏକ ଛୋଟ ଦ୍ୱୀପ ପେରିମ୍‍ଠାରେ । ତା’ପରେ ଜାହାଜ ଦକ୍ଷିଣ ଉପକୂଳରେ ଆଫ୍ରିକା ମହାଦେଶର ନିକଟତର ହୋଇଥିଲା । ଅନ୍ୟଦିଗରେ ୟେମେନ୍‍ ର ମରୁଭୂମି ଓ ନଗ୍ନ ଶୈଳଶ୍ରେଣୀ । ଜାହାଜ ଉତ୍ତର ପଶ୍ଚିମ ଦିଗକୁ ଗତିକରି ଲୋହିତ ସାଗର ଅତିକ୍ରମ କରି ସୁଏଜ୍‍ କେନାଲରେ ପହଁଞ୍ଚିବାର ଉପକ୍ରମ କରୁଥିଲା । ସୁଏଜ୍‍ କେନାଲଟି ଭୂମଧ୍ୟସାଗରରୁ ଲୋହିତସାଗରକୁ ସଂଯୋଗ କରେ ଏବଂ ଏଠାରେ ଅଧିକ ମହାସୁଲ ଜାହାଜଗୁଡ଼ିକଠାରୁ ଆଦାୟ ହୁଏ । ଏହା ମାଧ୍ୟମରେ ପଶ୍ଚିମ ଓ ପୂର୍ବ ମଧ୍ୟରେ ବ୍ୟବସାୟିକ କାରବାର ସୁବିଧାଜନକ ହୋଇଛି । ମିଶର ଉପକୂଳରେ ପହଁଞ୍ଚିଲା ବେଳେ ଲେଖକ ସିନାଇ ପର୍ବତଶ୍ରେଣୀକୁ ଦେଖି ଇତିହାସର ରୋମନ୍ଥନ କରିଛନ୍ତି । ମିଶରର ତତ୍କାଳୀନ ସ୍ଥିତି ସମ୍ପର୍କରେ ବିଶେଷ ଉଲ୍ଲେଖ କରିଛନ୍ତି ଲେଖକ । ଅଣଓସାରିଆ ସୁଏଜ୍‍ କେନାଲ୍‍ ଦେଇ ଯାତ୍ରାବେଳେ ଡାହାଣ ପାଖରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମସ୍ଥାନ ପାଲେଷ୍ଟାଇନକୁ ଦେଖିଛନ୍ତି । ସେଇ ସମୟରେ ଶ୍ରୀଅରବିନ୍ଦଙ୍କ ଦେହତ୍ୟାଗର ଦୁଃଖଦ ଖବର ପହଁଞ୍ଚିଛି, ଏବଂ ପୁଣିଥରେ ସେ ଭାରତର ଦୁର୍ଦ୍ଦିନକୁ ମନେ ପକାଉଛନ୍ତି ।

 

ପୋର୍ଟସୟଦର ପୋତାଶ୍ରୟ ରୁ କାଇରୋ ଯାଏଁ ୧୨୦ ମାଇଲ୍‍ ରେଳ ରାସ୍ତା ପଡ଼ିଛି । କାଇରୋର ଅନତିଦୂରରେ ବିଶ୍ୱବିଖ୍ୟାତ ପିରାମିଡ଼୍‍ ଓ ସ୍ପିଂକ୍ସ ଦେଖିବାକୁ ମିଳେ । କିନ୍ତୁ ଜାହାଜର କପ୍ତାନଙ୍କ ନିର୍ଦ୍ଦେଶ ଯୋଗୁଁ ଓ ପରେ ଯାତ୍ରୀମାନଙ୍କୁ ବୁଲେଇବା ପାଇଁ ଟମାସ୍‍ କୁକ୍‍ କମ୍ପାନୀର ମାତ୍ରାଧିକ ଅର୍ଥଦାବି ଯୋଗୁଁ ଜାହାଜ ଛାଡ଼ି କିଛି ସମୟପାଇଁ ବୁଲି ଏସବୁ କୃତି ଦେଖିବାରୁ ବଞ୍ଚିତ ହେବାକୁ ପଡ଼ିଥିଲା ଯାତ୍ରୀମାନଙ୍କୁ ।

 

ଜିବ୍ରାଲଟର୍‍ ପୋର୍ଟସୟଦଠାରୁ ୧୯୦୧ ମାଇଲ୍‍ ବାଟ । କିନ୍ତୁ ବାଟରେ ନାନା ପ୍ରକାର କଟକଣା ଯୋଗୁଁ ଯାତ୍ରା ମନ୍ଥର ହେଉଥିଲା । ଚାରିପାଖରେ ସ୍ଥଳଭାଗ, ମଝିରେ ଏଇ ଭୂମଧ୍ୟସାଗର-। ପାଲେଷ୍ଟାଇନ୍‍, ସିରିଆ, ତୁରସ୍କ, କ୍ରୀଟ୍‍,ଗ୍ରୀସ୍‍, ଇଟାଲି,ଫ୍ରାନ୍ସ୍‍ ଓ ସ୍ପେନ୍‍, ମିଶର, ମରକ୍କୋ, ଆଲଜିରିଆ, ଜିବ୍ରାଲଟର୍‍ ଇତ୍ୟାଦି ଦେଶ । ଗ୍ରୀସ୍‍ର ଦିଗ୍‍ବିଜୟୀ ସମ୍ରାଟ୍‍ ଆଲେକ୍‍ଜାଣ୍ଡାର୍‍,ମହାନ୍‍ ଗ୍ରୀକ୍‍ ପଣ୍ଡିତ ଟଲେମୀଙ୍କ କଥା ଉଲ୍ଲେଖ କରିଛନ୍ତି ଲେଖକ । ପୁଣି,ମାଲଟା ଓ ସିସିଲି ଦ୍ୱୀପ ଦେଇ ଯାତ୍ରା ସମୟରେ ଏଟ୍‍ନା ଆଗ୍ନେୟଗିରି ବିଷୟରେ ଉଲ୍ଳେଖ କରିଛନ୍ତି ଲେଖକ-। ଟ୍ୟୁନିସିଆ ଦ୍ୱୀପର ଇତିହାସ ଖୁବ୍‍ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ।

 

ପ୍ରକୃତି ବର୍ଣ୍ଣନା ସମୟରେ ଲେଖକଙ୍କର କବିତ୍ୱର ପରିସ୍ପୁରଣ ସ୍ୱତଃସ୍ପୃର୍ତ୍ତ ଭାବରେ ଘଟୁଛି-। ସମୁଦ୍ରକୁ ଅନନ୍ତ ଶିଶୁର ଲୀଳାଖେଳାର କ୍ଷେତ୍ରଭାବେ ଅବଲୋକନ କରି ପୁଲକିତ ହେଉଛନ୍ତି-। ଯାତ୍ରାକାଳରେ ଦୁଇଟି ବୁଡ଼ାଜାହାଜ ଦେଖି ଆନନ୍ଦିତ ହେଉଛନ୍ତି ଲେଖକ ।

 

ଭୂମଧ୍ୟସାଗର ଦେଇ ଜାହାଜ ଯାତ୍ରା କଲାବେଳେ ଲେଖକଙ୍କ ମନରେ ଅନେକ ଇଂରେଜ କବିଙ୍କ ସମୁଦ୍ର-ସଙ୍ଗିତ ମନେ ପଡ଼ିଛି । ବିଶିଷ୍ଟ ସାହିତ୍ୟିକ ଜୋସେଫ୍‍ କନରାଡ଼ଙ୍କର ସମୁଦ୍ରକୁ ନେଇ କେତେ ଗପ କେତେ ଉପନ୍ୟାସ ମନେ ପକାଇଛନ୍ତି ଲେଖକ । ବର୍ତ୍ତମାନ ସମୟର ସାହିତ୍ୟ ପ୍ରତି ସେ କଟାକ୍ଷ କରିଛନ୍ତି । ଏ ଯୁଗର ସାହିତ୍ୟ ବୌଦ୍ଧିକମାର୍ଗ ଧରିଛି ।

 

ଦରପଢ଼ା ବିଦ୍ୟାରେ ସାହିତ୍ୟ ନଗଢ଼ି ଆପଣାର ମନୋବିଚରଣର ନିର୍ଦ୍ଦିଷ୍ଟ କ୍ଷେତ୍ରଟି ବୁଝି ସାହିତ୍ୟ ସର୍ଜନା କରିବା ଲାଗି ସେ ସାହିତ୍ୟିକମାନଙ୍କୁ ଉଦ୍ଦେଶ୍ୟକରି କହିଛନ୍ତି ।

 

ଲେଖକଙ୍କ ମତରେ ପ୍ରତ୍ୟେକ ମଣିଷର ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତରେ କୁସୁମ ଫୁଟିବାର ଆହ୍ୱାନ ଆସେ । ସେ ଆହ୍ୱାନ ଶୁଣିବାକୁ କେବଳ ସେଇ ଆଡ଼କୁ ମୁହାଁଇଲେ ହେଲା । ଯେଉଁ ଭାଗ୍ୟ ଧର ସେଇ ଆହ୍ୱାନ ଶୁଣିପାରେ,ପ୍ରତ୍ୟେକ ମୁହୂର୍ତ୍ତରେ ସେ ବିକଶିତ ହୋଇଯାଏ, ନବ ନବ ଜନ୍ମ ଲାଭ କରେ । ପ୍ରତ୍ୟେକ ଅଭିଜ୍ଞତା ତା’କୁ ନୂତନ ଅନୁଭୂତି ଓ ନୂତନ ବିସ୍ମୟ ଦେଇଯାଏ ।

 

ଜହାହାଜରେ ପ୍ରତି ଶନିବାର ରାତିରେ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ଦେଖି ଲେଖକଙ୍କ ଶେନ୍ତିନିକେତନ ରହଣି ସମୟର ସ୍ମୃତି ସଜୀବ ହେଉଛି । ଦାର୍ଶନିକ ସୁଲଭଭାବରେ ସେ ସୃଷ୍ଟି,ସ୍ଥିତି,ପ୍ରଳୟକୁ ନୃତ୍ୟର ତିନୋଟି ଭଙ୍ଗୀ ବୋଲି କହିଛନ୍ତି । ମଣିଷକୁ ଜୀବନ–ଶ୍ରମରୁ ବିଶ୍ୱଛନ୍ଦ ଶାନ୍ତି ଭିତରକୁ ଫେରାଇ ଆଣିବା ଲାଗି ନୃତ୍ୟବିଦ୍ୟା ଓ ଚିତ୍ରବିଦ୍ୟା ପ୍ରଭୃତି କଳାର ସୃଷ୍ଟି । ସେହିପରି ଧର୍ମକୁ ନେଇ ତାଙ୍କର ବିଚାରଧାରା ବି ବେଶ୍‍ ତାତ୍ପର୍ଯ୍ୟପୂର୍ଣ୍ଣ । ଧର୍ମ ଓ ରାଜନୀତିକୁ ନେଇ ସେ ମତ ଦେଇଛନ୍ତି ଯେ, ଜଗତର ସବୁ ଧର୍ମପଥ ବୀର୍ଯ୍ୟହୀନ ହୋଇପଡ଼ିଛି । ରାଜନୀତି ହାତରେ ସବୁ ସମର୍ପିଦେଇ ଆମର ମଣିଷପଣିଆ ମଧ୍ୟ କ୍ରମେ ଭେଜାଲ୍‍ ହେବାକୁ ବସିଲାଣି ।

 

ଯାତ୍ରାକାଳରେ ଅନ୍ୟତମ ଦୁଃଖଦ ଖବର ପହଁଞ୍ଚିଥିଲା ତାଙ୍କ ପାଖରେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‍ଙ୍କ ମୃତ୍ୟୁ ଖବର । ନିଜ ଭିତରେ ଭାରି ଏକୁଟିଆ, ଭାରି ଅସହାୟ ବୋଧ କରିଛନ୍ତି ଲେଖକ । ପଟେଲ୍‍ଜୀଙ୍କର ମହାନ୍‍ ଦେଶପ୍ରେମର ବର୍ଣ୍ଣନା ତଥା ଦେଶର ପରିସ୍ଥିତିକୁ ନେଇ ସେ ଚିନ୍ତାକୁଳ ହୋଇଛନ୍ତି ।

 

ଜିବ୍ରାଲଟର୍‍ ଓ ପୁଣି ସ୍ପେନ୍‍ ବିଷୟରେ ବର୍ଣ୍ଣନା କରିଛନ୍ତି । ଭୂମଧ୍ୟସାଗର ପାରି ହୋଇ ଜାହାଜ ଆଟଲାଣ୍ଟିକ୍‍ ମହାସାଗରରେ ଗତି କରୁଛି । ପର୍ତ୍ତୁଗାଲ୍‍ ଉପକୂଳ ଅତିକ୍ରମ କରି ବିସ୍କେ ଉପସାଗର ନିକଟବର୍ତ୍ତୀ ହେଉଛି । ସମୁଦାୟ ବାଇଶ ଦିନର ଜଳଯାତ୍ରା ଆଉ ଦୁଇଦିନର ଯାତ୍ରାପରେ ସ୍ଥଳଭାଗ ଛୁଇଁବ ଜଳଜାହାଜ । ଆଇରିଶ୍‍ ସାଗର ଦେଇ ଗତିକରି ଶେଷରେ ଲିଭରପୁଲ୍‍ ବନ୍ଦରରେ ପହଁଞ୍ଚିଛି ।

 

ଏଇ ବାଇଶିଦିନର ସାଗରଯାତ୍ରା କାଳର ବିନୋଦିତ ମୁହୂର୍ତ୍ତଗୁଡ଼ିକର ବର୍ଣ୍ଣନା ସହିତ ଲେଖକଙ୍କ ମାନସମନ୍ଥନର ଯାତ୍ରା ଅତୀବ ମନୋରମ ଓ ହୃଦୟଗ୍ରାହୀ ହୋଇପାରିଛି । ସାଗରଯାତ୍ରୀ, ଏକ ଭ୍ରମଣକାହାଣୀର ସୋପାନ ଅତିକ୍ରମ କରି ଇତିହାସ, ଭୂଗୋଳ, ସମାଜଶାସ୍ତ୍ର, ରାଜନୀତି, ଧର୍ମ, ଦର୍ଶନ, କଳା, ସାହିତ୍ୟ, ସାମ୍ୟବାଦ, ମାନବବାଦ ଏବଂ ସର୍ବୋପରି ଜୀବନଯାପନର କଳା ପ୍ରତ୍ୟେକ ବିଷୟକୁ ଉତ୍ତୀର୍ଣ୍ଣ ହୋଇଛି ।

 

ଉପସଂହାର

 

‘ସାଗରଯାତ୍ରୀ’ ପୁସ୍ତକଟି କେବଳ ଏକ ଭ୍ରମଣ କାହାଣୀ ନୁହେଁ, ଏହା ମାନବିକତା ଓ ସମାଜ ପ୍ରତି ଏକ ଦର୍ପଣ । ପୃଥିବୀର ଯେଉଁ ପ୍ରାନ୍ତକୁ ଗଲେ ମଧ୍ୟ ନିଜର ମୂଳ ସଂସ୍କୃତି ଓ ମାନବିକ ସମ୍ବେଦନାକୁ ଭୁଲିବା ଉଚିତ୍‍ ନୁହେଁ । ସମୁଦ୍ରର ବିଶାଳତା ମଣିଷ ମନର ସବୁ କ୍ଷୁଦ୍ରତା ଓ ଅହଂକାରକୁ ଧୋଇ ଦେବାପାଇଁ ଯଥେଷ୍ଟ ବୋଲି ଲେଖକ ମତ ଦେଇଛନ୍ତି ।

 

ଲେଖକଙ୍କ ମତରେ ପ୍ରକୃତି ହିଁ ଆମର ଶ୍ରେଷ୍ଠ ଶିକ୍ଷକ । ‘ସାଗରଯାତ୍ରା’ ଥିଲା ତାଙ୍କ ଜାବନର ଏକ ଅଭୁଲା ଅଭିଜ୍ଞତା ।

Image